About Us

ପତ୍ରପତ୍ରିକା ସମାଜର କଥା କହେ, ସାଧାରଣ ଲୋକଙ୍କ କଥା କହେ । ଆମ ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ ଓ ଐତିହ୍ୟର ଭାବ ଓ ମର୍ମକୁ ପରିପ୍ରକାଶ କରେ । ମହାନ ଆମ ସଂସ୍କୃତି ମହୀୟାନ ଆମ ପରମ୍ପରା । ତେଣୁ ଆମ ରାଜ୍ୟରେ ଏସବୁ ବଖାଣିବା ପାଇଁ ପତ୍ରପତ୍ରିକାର ଅଭାବ ନାହିଁ । ସଭିଏଁ ନିଜ ନିଜ କ୍ଷେତ୍ରରେ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି, ଆମ ଗୌରବମୟ ଇତିହାସର କବର ପେଡ଼ି ଖୋଲି ଉତ୍କଳୀୟ ଜାତିର ମହନୀୟତାକୁ ପ୍ରତିପାଦିତ କରିବାକୁ ଶତତ ଚେଷ୍ଟିତ ହୋଇଆସିଛନ୍ତି ।

ସମୟର ଅଫେରନ୍ତା ସ୍ରୋତରେ ବହୁ ପତ୍ରିକା ଜନ୍ମ ନେଇଛନ୍ତି । କିଏ ପ୍ରତିଦ୍ୱନ୍ଦ୍ୱିତାରେ ଆଘାତ ପାଇ କାଳଗର୍ଭରେ ବିଲୀନ ହୋଇଛି ତ ପୁଣି ବାସ୍ତବିକତାକୁ ସ୍ୱୀକାର କରିନପାରି କାହାର ଅପମୃତ୍ୟୁ ଘଟିଛି । ବିଜ୍ଞାନର ଅଗ୍ରଗତି ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପ୍ରଗତି ଆଣିଛି । ଇତି ମଧ୍ୟରେ ପତ୍ରପତ୍ରିକାର ଭିଡ଼ ମଧ୍ୟ ବଢ଼ିଛି । ଭିଡ଼ ଭିତରେ କିଏ ହଜି ଯାଇଛି ତ ପୁଣି କିଏ ମୁଣ୍ଡ ଟେକିଛି । ଏଭଳି ଆଶା, ଆଶଙ୍କା ଓ ସମ୍ଭାବନା ଭିତରେ ୨୨ ମେ ୨୦୦୮ର ଏକ ଶୁଭବେଳାରେ ଜନ୍ମ ନେଲା ଦୂରଦର୍ଶୀ, ଏକ ସମ୍ବାଦଭିତ୍ତିକ ମାସିକ ଓଡ଼ିଆ ପତ୍ରିକା ଭାବେ ।

ବିଭିନ୍ନ ସମୟରେ ଆମେ ବହୁ ବାଧାବିଘ୍ନ ଓ ଝଡ଼ଝଞ୍ଜାକୁ ସାମନା କରିଛୁ । ପ୍ରତିକୂଳ ପରିସ୍ଥିତିରେ ବି କେବେ ଥକିଯାଇନୁ । ପ୍ରତ୍ୟେକ ମାସର ପ୍ରଥମ ଦିବସରେ ଗୋଟିଏ ଗୋଟିଏ ନୂଆ ସଂଖ୍ୟା ପାଠକମାନଙ୍କୁ ଉପହାର ଦେବାର ସ୍ୱତନ୍ତ୍ରତାକୁ ଆମେ ବଜାୟ ରଖିଛୁ । ଏହା ସମ୍ଭବ ହୋଇଛି କେବଳ ଆପଣମାନଙ୍କ ସ୍ନେହ, ସହାନୁଭୂତି, ଭଲପାଇବା ଓ ଆଶୀର୍ବାଦକୁ ନେଇ ।

ଏହି ଦୀର୍ଘ ଅବଧି ମଧ୍ୟରେ ଯେଉଁ ବନ୍ଧୁମାନେ ଆମ ସହିତ ସଂପୃକ୍ତ ରହି ଆମକୁ ସହଯୋଗର ହାତ ବଢ଼େଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି ଓ ଆଗକୁ ମଧ୍ୟ ସହଯୋଗର କାମନା କରୁଛି ।

ଦୂରଦର୍ଶୀ ପରିବାରର ସମସ୍ତ ସଦସ୍ୟମାନଙ୍କ କଠିନ ପରିଶ୍ରମ, ଦୃଢ଼ ଆତ୍ମବିଶ୍ୱାସ ଫଳରେ ଦୂରଦର୍ଶୀ ସଫଳତାର ସହ ୧୯ ବର୍ଷ ନିୟମିତ ଭାବରେ ପ୍ରକାଶ ହୋଇ ପାଠକମାନଙ୍କ ପାଖରେ ପହଞ୍ଚି ପାରିଛି । ସଫଳତାର ଅନ୍ୟ ଏକ ପାହାଚ ହେଉଛି ନୂତନ ପିଢ଼ୀ ଯୁବ ଲେଖକ ଓ ଲେଖିକା ସୃଷ୍ଟି କରିବା । ଯେଉଁମାନେ ନୂତନ ଭାବେ ଲେଖ ଲେଖୁଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦେଇ ଦୂରଦର୍ଶୀ ଲେଖା ପ୍ରକାଶ କରୁଛି ।

ସଫଳତାର ୧୯ ବର୍ଷରେ ଦୂରଦର୍ଶୀ କେବଳ ପାଠକ-ପାଠିକାମାନଙ୍କୁ ଉତ୍ତମ ମାନର ପାଠ ପରିବେଷଣ କରିଛି ତା ନୁହେଁ, ବରଂ ସବୁ ବର୍ଗର ଲୋକଙ୍କ ସୁହାଇଲା ଭଳି ନୂଆ ନୂଆ ରୁଚିଶୀଳ ବିଭବ ସୃଷ୍ଟି କରି ସାମ୍ବାଦିକତା କ୍ଷେତ୍ରରେ ଏକ ଦିପ୍ତିମାନ ମାଇଲଖୁଣ୍ଟ ଭାବେ ଦଣ୍ଡାୟମାନ ହୋଇଛି ।

ଗାଁ ଖବରଠାରୁ ଆରମ୍ଭ କରି ସହରର ସମସ୍ୟା, ପିଲାଙ୍କଠାରୁ ନେଇ ଛାତ୍ର, ଯୁବ, ମହିଳା, ବରିଷ୍ଠ ନାଗରିକଙ୍କ ଯାଏଁ, ରାଜନୀତିରୁ ବ୍ୟଙ୍ଗ, କବିତା, ଗଳ୍ପ, କ୍ରୀଡ଼ା, ମନୋରଞ୍ଜନ, କ୍ୟାରିୟର୍‌, ସାକ୍ଷାତକାର ଭଳି ବିଷୟ ପାଲଟେ ଏହାର ପ୍ରତି ସଂଖ୍ୟାର ମୁଖ୍ୟ ବିଷୟବସ୍ତୁ ।

ଦୂରଦର୍ଶୀର ସ୍ୱତନ୍ତ୍ର ଉପସ୍ଥାପନା ଶୈଳୀ, ମନଲୋଭା ଅଳଙ୍କରଣ, ଆକର୍ଷଣୀୟ ପ୍ରଚ୍ଛଦ ପଲ୍ଲୀରୁ ଦିଲ୍ଲୀ ତଥା ଦେଶ ଓ ବିଦେଶରେ ରହୁଥିବା ଓଡ଼ିଆ ପାଠକ ବର୍ଗଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ମୋଟାମୋଟି ଭାବେ କହିବାକୁ ଗଲେ ସଂଘର୍ଷରତ ମଣିଷର ଅନ୍ତଃସ୍ୱରକୁ ତୀକ୍ଷ୍ଣ କରି ଦୂରଦର୍ଶୀ ଏହି ସ୍ୱଳ୍ପ ଅବଧି ମଧ୍ୟରେ ବି ଏକ ବୈଚାରିକ ଆନ୍ଦୋଳନର ରୂପ ନେଇସାରିଛି ।

ଆଗକୁ ମଧ୍ୟ ଦୂରଦର୍ଶୀ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ତାର ପ୍ରୟାସ ଜାରି ରଖିବାକୁ ଅଙ୍ଗୀକାରବଦ୍ଧ । ଏଥିପାଇଁ ଲୋଡ଼ା କେବଳ ଆପଣମାନଙ୍କ ଆକୁଣ୍ଠ ସାହାଯ୍ୟ, ସହଯୋଗ ଓ ସହୃଦୟ ଆଦୃତି ଓ ଅଜସ୍ର ଭଲପାଇବା ।

କେବଳ ସାମ୍ବାଦିକତା ଓ ସାହିତ୍ୟ ନୁହେଁ “ଦୂରଦର୍ଶୀ” । ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରର ଅଗ୍ରଣୀରେ ରହି ଏକ ସ୍ୱତନ୍ତ୍ର ଅନୁଷ୍ଠାନ ଭାବେ ତା’ର ଦାୟିତ୍ୱ ନିଭାଇ ଆସିଛି ।

କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କ ଉନ୍ନତି ପାଇଁ ବିଗତ ୧୬ ବର୍ଷ ଧରି “ଦୂରଦର୍ଶୀ କ୍ରୀଡ଼ା ସମ୍ମାନ” ପ୍ରଦାନ ପୂର୍ବକ ବହୁ ଲୁକାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଅପହଞ୍ଚ ଅଞ୍ଚଳରୁ ଚୟନ କରି ଲୋକଲୋଚନକୁ ଆଣିବାର ପ୍ରୟାସରେ ଶତପ୍ରତିଶତ ସଫଳ ହୋଇଛି ।

କରୋନା ସମୟରେ ପୀଡ଼ିତ ଲୋକଙ୍କ ପାଖରେ ପହଞ୍ଚି ପ୍ରାୟ ୧୦ ହଜାର ଲୋକଙ୍କୁ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଇଛି । ସମାଜସେବାରେ ନିୟୋଜିତ ଅଗମ୍ୟ ଅଞ୍ଚଳର ଅନେକ ପରୋପକାରୀ ବ୍ୟକ୍ତିବିଶେଷଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସମ୍ବର୍ଦ୍ଧିତ କରିଛି ।

ବିଭିନ୍ନ ସମୟରେ ସମାଜର ହିତ ପାଇଁ ବିଶେଷ ସମସ୍ୟା ସମ୍ପର୍କରେ ଆଲୋଚନା ସଭା କରି ତା’ର ନିର୍ଯାସ ସହ ସମାଜକୁ ନୂଆ ଦିଗଦର୍ଶନ ଦେଇଛି । ସମାଜର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖୁଥିବା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରି ବ୍ୟକ୍ତିମାନଙ୍କୁ ପ୍ରେରଣା ପ୍ରଦାନ କ୍ଷେତ୍ରରେ ବିଶେଷ ଭୂମିକା ରଖିଛି “ଦୂରଦର୍ଶୀ” । ବର୍ତ୍ତମାନ କିଶୋର ଦୂରଦର୍ଶୀ ଆଗକୁ ଆହୁରି ଅନେକ ସୁକାର୍ଯ୍ୟ ପାଇଁ ପ୍ରତିଶ୍ରୁତିବଦ୍ଧ ।